ବିରଜା ମନ୍ଦିର

ହିନ୍ଦୁ ମନ୍ଦିର

ବିରଜା ମନ୍ଦିର (ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ) ଯାଜପୁର ଜିଲ୍ଲାର ଏକ ଦେବୀ ମନ୍ଦିର । ଏହା ଭାରତର ବିରଜା କ୍ଷେତ୍ର ନାମରେ ଜଣା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଧ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ରରେ ପଡ଼ିଥିଲା ଏବଂ ନାଭି ଦେଶରେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠର ନାମ ଓଡ୍ଡିୟାଣ ପୀଠ ହୋଇଛି, ଏବଂ ଏହି ପ୍ରଦେଶର ନାମ ଓଡ୍ର ଦେଶ ହୋଇଛି।[ଆଧାର ଲୋଡ଼ା]

ବିରଜା ମନ୍ଦିର
Biraja Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଯାଜପୁର
Location
Countryଭାରତ
Website
maabiraja.com

ତାନ୍ତ୍ରିକ ଏବଂ ପୌରାଣିକ ପୃଷ୍ଠଭୂମି

ସମ୍ପାଦନା
ବିରଜା ଦେବୀ

ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
"ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ"

ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା।ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା ।[ଆଧାର ଲୋଡ଼ା]

"ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ରମୁଚ୍ୟତେବିରଜା ଭୈରବୀ ୟତ୍ର ଯଜ୍ଞକୋଳସ୍ତୁ ଭୈରବ"

ଆଦି ଶଙ୍କର କୃତ ଶକ୍ତିପୀଠ ସ୍ତବରେ ଭାଗବତ୍ପାଦ ବର୍ଣ୍ଣନା କରିଛନ୍ତି:
"ଉଜ୍ଜୟିନ୍ୟା ମହାକାଳୀ ପୀଠିକାୟମ୍ ପୁରୁହୁତିକା
ଓଡ୍ଡ୍ୟାଣେ ଗିରିଜା ଦେବୀ ମାଣିକ୍ୟ ଦକ୍ଷବାଟିକେ"

ଏଠାରେ ବର୍ଣ୍ଣିତ ଗିରିଜା ଦେବୀ ଆଜିକାର ବିରଜା ଦେବୀ ଏହା ନିଃସନ୍ଦେହ । ବର୍ତ୍ତମାନର ମନ୍ଦିର ତ୍ରୟୋଦଶ ଶତାବ୍ଦୀର ହେଲେ ହେଁ ଏହି ପୀଠଟି ଗୁପ୍ତ ଯୁଗର ବୋଲି ଅନେକ ଗବେଷକ ମତ ଦେଇଥାନ୍ତି । ଭାରତର ମୁଖ୍ୟ ଚାରୋଟି ତନ୍ତ୍ରପୀଠ ମଧ୍ୟରେ ବିରଜା ମନ୍ଦିର ଆସିଥାଏ,ସେଗୁଡିକ ହେଲା-କାମଗିରି(କାମାଖ୍ୟା),ଜାଳନ୍ଧର,ଓଡ୍ଡୀୟାନ,ପୂର୍ଣ୍ଣଗିରି । ମା ବିମଳା ଓ ମା ବିରଜା ଏକ ଶକ୍ତି ବୋଲି କଥିତ ହୁଅନ୍ତି,ବିରଜାମନ୍ଦିରଠାରୁ ପୁରୁଷୋତ୍ତମ ଜଗନ୍ନାଥ କ୍ଷେତ୍ର ଯାଏଁ ସ୍ଥାନ ବିରଜମଣ୍ଡଳ ବୋଲି କଥିତ ।

ନୀତି ନିର୍ଘଣ୍ଟ

ସମ୍ପାଦନା
ମା' ବିରଜା ମନ୍ଦିର

ମନ୍ଦିରରେ ସୁଚାରୁ ରୂପରେ ଦୈନିକ ପୂଜା ଉପଚାର ଆଦି ପ୍ରାତଃ କାଳରୁ ରାତ୍ର ୧୦ ଘଟିକା ଯାଏ ପାଳନ ହୋଇଥାଏ । ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ରଥଯାତ୍ରା ପ୍ରସିଦ୍ଧ । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଦିବସ ସମୟରେ ମା' ସିଂହଧ୍ୱଜ ରଥରେ ବସି ରଥଯାତ୍ରା କରନ୍ତି । ମା' ବିରଜା ଉତ୍କଳ ଶ୍ରୌତ ବ୍ରାହ୍ମଣମାନଙ୍କଦ୍ୱାରା ମହିଷାମର୍ଦିନୀ ଏବଂ ବନଦୁର୍ଗା ରୂପରେ ପୂଜା ପାନ୍ତି । ଏତଦ୍ ବ୍ୟତୀତ ପ୍ରଥାମାଷ୍ଟମୀ, ରଜ ସଂକ୍ରାନ୍ତି, କୁମାର ପୁନେଇ , ମାଘ ଅମାବାସ୍ୟା(ଯାହା ବିରଜା ଜନ୍ମୋତ୍ସବ ରୂପେ ପାଳିତ ହୁଏ) ,ସାବିତ୍ରୀ ଅମାବାସ୍ୟା ଆଦି ପର୍ବ ମଧ୍ୟ ବହୁ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଥାଏ ।

ମା' ବିରଜାଙ୍କ ରଥଯାତ୍ରା

ସମ୍ପାଦନା
୨୦୨୩ ମସିହାରେ ମା' ବିରଜା କ୍ଷେତ୍ରରେ ରଥଯାତ୍ରା

ଆଶ୍ୱିନ ଶୁକ୍ଳ ପ୍ରତିପଦ ଦିନ ରଥ ପ୍ରତିଷ୍ଠା ପର୍ବ ଅନୁଷ୍ଠିତ ହୁଏ । ମହାପାର୍ବଣରେ ମାଙ୍କୁ ସୁସଜ୍ଜିତ ରଥରେ ପରିକ୍ରମଣ କରାଯାଏ । ତା ପୂର୍ବରୁ ଦେବୀଙ୍କ ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରନ୍ତି । ସେଠାରେ ଗଣପତି ଓ ଦଶଦିଗପାଳଙ୍କ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥାଏ । ଏହି ରଥର ନାମ ସିଂହଧ୍ୱଜ । ନବଦିବସ ବ୍ୟାପି ପ୍ରତିଦିନ ଅପରାହ୍ନରେ ଏହା ମନ୍ଦିର ପରିକ୍ରମଣ କରେ । ଏହାକୁ କୃଷ୍ଣ, ଲୋହିତ ଓ ଶ୍ୱେତବସ୍ତ୍ର ଆବରଣରେ ସୁସଜ୍ଜିତ କରାଯାଏ । ରଥର ଉଚ୍ଚତା ୪୫ ହାତ ୧୨ ଆଙ୍ଗୁଳି । ରଥର ସାରଥି ଚତୁର୍ମୁଖ ବ୍ରହ୍ମା, ରଥର ରଜୁର ନାମ ସ୍ୱର୍ଣ୍ଣ ଚୂଡ଼ ଓ ଶଙ୍ଖ ଚୁଡ଼ । ଏଥିରେ ଦୁଇଟି ଅଶ୍ୱ ଧାବମାନ ମୁଦ୍ରାରେ ସୁସଜ୍ଜିତ । ଏହି ଦିବ୍ୟ ରଥରେ ରଥାରୁଢ଼ା ହୋଇ ମା ନଅ ଥର ବେଢ଼ା ପରିକ୍ରମଣ କରନ୍ତି ।[୧]

ନାଭି ଗୟା

ସମ୍ପାଦନା

ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଗୋଟି ସ୍ଥାନରେ ଅଶ୍ୱମେଧ ଯଜ୍ଞ କରିଥିଲେ । ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉତ୍କଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତରବେଦୀ ପ୍ରୟାଗ (ଆଲ୍ଲାବାଦ)ଠାରେ ଅବସ୍ଥିତ । ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନରେ ପଡ଼ିଥିଲା । ଏବେ ବିରଜା ମନ୍ଦିର ପରିସର ମଧ୍ୟରେ ନାଭି ଗୟା କୂପ ଅଛି, ଯେଉଁଠାରେ ପୁତ୍ରମାନେ ସେମାନଙ୍କ ଦିବଙ୍ଗତ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡ ଦାନ କରିଥାନ୍ତି ।

୨୦୦୪ ମସିହାରେ ମା'ବିରଜାଙ୍କ ବିଗ୍ରହ ବଦଳାଇ ଦିଆଯାଇଥିଲା । ୨୮ ନଭେମ୍ବର ୨୦୦୪ରେ ପୁଣିଥରେ ମୂଳ ବିଗ୍ରହକୁ ସ୍ଥାପନ କରାଯାଇଥିଲା ।[୨]

  1. ଅଭିମତ, ପ୍ରଗତିବାଦୀ, ୧୬ଅକ୍ଟୋବର ୨୦୧୧, ପୃଷ୍ଠା-୧୪
  2. ଦେବଦତ୍ତ, ମିଶ୍ର. "ଯାହା ମା'ଙ୍କ ଇଚ୍ଛା". ଧରିତ୍ରୀ. Retrieved 24 December 2016.

ଅଧିକ ତଥ୍ୟ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଫକୀର ମୋହନ ସେନାପତିଛାଞ୍ଚ:Smiley/docସିକ୍ଲ ସେଲ୍ ରୋଗରଥଯାତ୍ରାଗୋପବନ୍ଧୁ ଦାସରାଧାନାଥ ରାୟସହଯୋଗ:CS1 errorsଓଡ଼ିଆ ସାହିତ୍ୟସାରଳା ଦାସମହାତ୍ମା ଗାନ୍ଧୀମନୋଜ ଦାସବିଶେଷ:ନଗଦବଦଳଭୁବନେଶ୍ୱର ବେହେରାଜଗନ୍ନାଥକାଳିନ୍ଦୀ ଚରଣ ପାଣିଗ୍ରାହୀଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସଉପେନ୍ଦ୍ର ଭଞ୍ଜମଧୁସୂଦନ ଦାସମଧୁସୂଦନ ରାଓବିଜୟ ମିଶ୍ରଦ୍ୱିତୀୟ ବିଶ୍ୱଯୁଦ୍ଧଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଗୋପୀନାଥ ମହାନ୍ତିଭୀମ ଭୋଇସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ଭାଷାଅଣସରସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଓଡ଼ିଶାଗୋଦାବରୀଶ ମହାପାତ୍ରସହଯୋଗ:ବିଷୟବସ୍ତୁବିନୋଦ ଚନ୍ଦ୍ର ନାୟକ